ଦୀପାବଳୀରେ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ଦୀପାବଳୀରେ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ଭୁବନେଶ୍ୱର : ଏଥର ଦୀପାବଳୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶର ୭୫,୦୦୦ ଯୁବବର୍ଗଙ୍କୁ ଚାକିରୀ ‘ଉପହାର’ ଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍‌ ଶନିବାର ଦିନ ଏଥିପାଇଁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କ ସହିତ ଭାବ ବିନିମୟ କରିବେ।

ଏହି ଅବସରରେ କେତେକ ମନ୍ତ୍ରାଳୟ ଓ ସରକାରୀ ବିଭାଗରେ ୭୫,୦୦୦ ଯୁବାଙ୍କୁ ଚାକିରି ନିମନ୍ତେ ନିଯୁକ୍ତି-ପତ୍ର ପ୍ରଦାନ କରାଯିବ। ଏହି ନିଯୁକ୍ତି-ପତ୍ର ସବୁ ପ୍ରତିରକ୍ଷା ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ, ଡାକ ବିଭାଗ, ଗୃହମନ୍ତ୍ରାଳୟ, ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ, ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ, ସିବିଆଇ, କଷ୍ଟମ୍‌ସ୍‌ ଏବଂ ବ୍ୟାଙ୍କିଙ୍ଗ୍‌ ଆଦି କ୍ଷେତ୍ରରେ ଚାକିରି ନିମନ୍ତେ ପ୍ରଦାନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରରେ ଥାଇ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରିବେ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ଓଡ଼ିଶା), ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ (ଗୁଜରାଟ), ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର (ଚଣ୍ଡୀଗଡ଼), ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ୍‌ (ମହାରାଷ୍ଟ୍ର), ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (ରାଜସ୍ଥାନ), ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (ତାମିଲ୍‌ନାଡୁ), ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ (ଉତ୍ତର ପ୍ରଦେଶ), ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା (ଝାଡ଼ଖଣ୍ଡ) ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ (ବିହାର) ରେ ରହି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହାଛଡ଼ା, ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ଦେଶର ବିଭିନ୍ନ ସହରରେ ଥାଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ପରି ନିଜ ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସମସ୍ତ ସାଂସଦମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ଚାକିରି ସୃଷ୍ଟି କରାଯିବ ବୋଲି ଚଳିତ ବର୍ଷ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ କହିଥିଲେ ।

ims news

Leave a Reply

Your email address will not be published. Required fields are marked *