ଦ୍ରୋପଦୀ ମୁର୍ମୁ ହେଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ଦ୍ରୋପଦୀ ମୁର୍ମୁ ହେଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ବର: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ବିଜେପି ନେତ୍ରୀ ଦ୍ରୋପଦୀ ମୁର୍ମୁ ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଚୟନ ପାଇଁ ବିଜେପି ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନଡିଏ ପକ୍ଷରୁ ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇ ଆଲୋଚନା କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏବଂ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ପ୍ରାର୍ଥୀଙ୍କ ନାମ ବିଷୟରେ ଆଲୋଚନା କରି ଦ୍ରୋପଦୀ ମୁର୍ମୁଙ୍କ ନାମକୁ ସ୍ଥିର କରିଥିଲେ । ଶେଷରେ ଭାରତର ପୂର୍ବ ପ୍ରାନ୍ତରୁ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥିର ହୋଇଥିଲା ବୋଲି କହିଥିଲେ ନଡ୍ଡା ।

ପୂର୍ବରୁ ଦୁଇଥର ବିଧାୟକ ହୋଇଛନ୍ତି ଦ୍ରୋପଦୀ ମୁର୍ମୁ । ରାଇରଙ୍ଗପୁରରୁ ବିଧାୟକ ଥିଲେ ମୁର୍ମୁ । ଦ୍ରୋପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ବାଇଡାପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ। ସେ ସାନ୍ତାଲ ପରିବାରର, ଏକ ଆଦିବାସୀ ଜାତିର ଅଟନ୍ତି। ଦ୍ରୋପଦୀ ମୁର୍ମୁ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଥିଲେ । ତେବେ ଏକ ଦୁର୍ଘଟଣାରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା ।

ସେ ଝାଡ଼ଖଣ୍ଡର ନବମ ରାଜ୍ୟପାଳ ଥିଲେ। ସେ ଭାରତର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଥିବାରୁ ତାଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିଛି । କାରଣ ଆଜି ପର୍ଯ୍ୟନ୍ତ କୈାଣସି ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇନାହାଁନ୍ତି ।

ଓଡିଶାରେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ମିଳିତ ସରକାରରେ ସେ ମାର୍ଚ୍ଚ ୬, ୨୦୦୦ ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ପାଇଁ ରାଜ୍ୟ ମନ୍ତ୍ରୀ ଥିଲେ। ସେ ୨୦୦୦ ଓ ୨୦୦୪ ମସିହାରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଓଡ଼ିଶାକୁ ପ୍ରାଥମିକତା ଦେଇ ଜଣେ ଓଡ଼ିଆ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଓଡ଼ିଶାରେ ଆନନ୍ଦ ଖେଳିଯାଇଛି ।

ims news

Leave a Reply

Your email address will not be published. Required fields are marked *