ପବିତ୍ର ଅକ୍ଷୟ ତୃତୀୟା ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ମହାପ୍ରଭୁ ଙ୍କ ରଥ ନିର୍ମାଣ ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟା ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ମହାପ୍ରଭୁ ଙ୍କ ରଥ ନିର୍ମାଣ ଅନୁକୂଳ

ଆଜି ବୈଶାଖ ମାସ ଶୁକ୍ଳ ପକ୍ଷ ର ତୃତୀୟା ତିଥି I ଏହାକୁ ପବିତ୍ର ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଇଥାଏ I ଏହି ଦିନ ଚାଷୀ ଭାଇ ପ୍ରଥମେ ଜମିରେ ବିହନ ବୁଣିବା ଆରମ୍ଭ କରିଥାନ୍ତି I ଏହାକୁ ଅକ୍ଷିମୁଠି ବୋଲି କୁହାଯାଇଥାଏ I ଏହି ଅବସରରେ ଓଡ଼ିଶାର ପବିତ୍ର ଜଗନ୍ନାଥ ଧାମ ରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜୀଉଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଶୁଭ ଅନୁକୂଳ ହୋଇଯାଇଛି। ଆଜି ସକାଳଧୂପ ପରେ ଶ୍ରୀମନ୍ଦିର ଭିତରୁ ପୂଜାପଣ୍ଡା ସମନ୍ତମାନେ ମହାପ୍ରଭୁମାନଙ୍କ ତିନି ବାଡରୁ ଆଜ୍ଞାମାଳ ଆଣିଥିଲେ ଓ ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀନଅର ରଥ ଖଳାରେ ପହଞ୍ଚିଥିଲେ। ଏହାପରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଶ୍ରୀମନ୍ଦିରରୁ ମଣିବିମାନରେ ବସି ରଥଖଳାରେ ବିରାଜମାନ ହୋଇଥିଲେ। ସେମାନଙ୍କ ସାଥିରେ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ଆସି ରଥ ଖଳାରେ ପହଞ୍ଚିଥିଲେ। ରଥ ଖଳାରେ ହୋଇଥିବା ବନଯାଗ ଚାଳିରେ ଅନୁକୂଳ ହେବାକୁ ଥିବା ରଥ କାଠ ଉପରେ ପୂଜାପଣ୍ଡାମାନେ ପୂର୍ବରୁ ଆଜ୍ଞାମାଳ ରଖିଥିଲେ।

ପରମ୍ପରା ଅନୁସାରେ ଶ୍ରୀମନ୍ଦିର ପୁରୋହିତ ଓ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ପକ୍ଷରୁ ବନଯାଗ ପଦ୍ଧତ୍ତିରେ ପୂଜା ଓ ହୋମ ଯଜ୍ଞ କରାଯାଇଥିଲା। ଏହାପରେ ସୁନା କୁରାଢି, ରୂପା କୁରାଢୀ ଓ ଲୁହା କୁରାଢୀ ଦ୍ୱାରା ଶ୍ରୀଜୀଉଙ୍କ ରଥ ନିର୍ମାଣ ଶୁଭାରମ୍ଭ ହୋଇଥିଲା। ତିନି ରଥ ଉଦେଶ୍ୟରେ ତିନି ରଥର ମୁଖ୍ୟ ବର୍ଦ୍ଧକୀମାନଙ୍କ ଦ୍ୱାରା ତିନି ଖଣ୍ଡ କାଠରେ ଏହି କୁରାଢ଼ି ସ୍ପର୍ଶ କରାଯାଇଥିଲା। ଦେଉଳ ପୁରୋହିତଙ୍କ ଦ୍ୱାରା ରଥ ଅନୁକୂଳ ହୋମ ସମ୍ପାଦିତ ହୋଇଥିଲା। ଏହାପରେ ପଡ଼ିଆ କରଣ ରଥ ବର୍ଦ୍ଧକୀମାନଙ୍କ ମସ୍ତରକରେ ଶାଢ଼ି ବାନ୍ଧି ଦେଇଥିଲେ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ପାଦ। ରଥ ନିର୍ମାଣ ଅନୁକୂଳ ବଢ଼ିବା ପରେ ବିଜେ ପ୍ରତିମାମାନେ ନରେଦ୍ର ସରୋବରରେ ଚାପ ଯାତ୍ରା ନିମନ୍ତେ ବିଜେ କରିଥିଲେ। ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲାପାଳ, ଏସପିଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ରଥ ନିର୍ମାଣକାରୀ ବିଶ୍ୱକର୍ମା ସେବକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ୨ ମାସ ଭିତରେ ଶେଷ ହେବ ବୋଲି ସୂଚନା ଦିଆଯାଇଥିଲା। ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ରଥଯାତ୍ରା ସ୍ୱାଭାବିକ ହେବ ଓ ଭକ୍ତମାନେ ପୂର୍ବପରି ଏହି ମହାପର୍ବରେ ସାମିଲ ହେବା ଆଶା ରହିଛି।

ims news