୨୪ ବର୍ଷ ପରେ ବ୍ରଜରାଜନଗରରେ ଦ୍ବିତୀୟ ଉପନିର୍ବାଚନ 

୨୪ ବର୍ଷ ପରେ ବ୍ରଜରାଜନଗରରେ ଦ୍ବିତୀୟ ଉପନିର୍ବାଚନ 

ଝାରସୁଗୁଡା : ଦୀର୍ଘ ୨୪ ବର୍ଷ ପରେ ବ୍ରଜରାଜନଗରରେ ପୁଣି ଥରେ ଉପ ନିର୍ବାଚନ ହେବାକୁ ଯାଉଛି। ତତ୍‌କାଳୀନ ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ବିୟୋଗ ପରେ ୧୯୯୮ ମସିହାରେ ଏଠାରେ ପ୍ରଥମ କରି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂପ୍ରତି ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ମେ ୩୧ ତାରିଖ ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ହେବାକୁ ଯାଉଛି।

୧୯୬୧ ମସିହାରେ ବିଧାନସଭା ଆସନର ମାନ୍ୟତା ପାଇଥିବା ବ୍ରଜରାଜନଗର ଏକଦା ବାମପନ୍ଥୀ ଦଳର ଅଭେଦ୍ୟ ଦୁର୍ଗ ଥିଲା। ଏହି ଅଞ୍ଚଳର ସୁନାମଧନ୍ୟ ବାମପନ୍ଥୀ ନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡା ଏହି ବିଧାନସଭା ଆସନରୁ ସର୍ବାଧିକ ୬ ଥର ନିର୍ବାଚିତ ହୋଇ ରେକର୍ଡ କରିଥି‌‌ଲେ। ଏହା ପଛକୁ କଂଗ୍ରେସ ମଧ୍ୟ ଏଠାରେ ତାର ପତିଆରା ଜାହିର କରିଥିଲା। କଂଗ୍ରେସ ଓ ଓଡ଼ିଶା ଜନ କଂଗ୍ରେସ ଦଳ ଏହି ଆସନକୁ ୬ ଥର ଅକ୍ତିଆର କରିଥିଲା। ୧୯୬୧, ୧୯୬୭, ୧୯୭୪, ୧୯୮୫, ୧୯୯୦ ଓ ୧୯୯୫ ବିଧାନସଭା ନିର୍ବାଚନରେ ସିପିଆଇ ଦଳରୁ ପ୍ରସନ୍ନ କୁମାର ପଣ୍ଡା ଏଠାରୁ ବିଧାୟକ ହୋଇଥିଲେ।

ସେହିପରି ଉପେନ୍ଦ୍ର ଦିକ୍ଷୀତ ୧୯୭୧ରେ ଓଡ଼ିଶା ଜନ କଂଗ୍ରେସରୁ, ୧୯୭୭ରେ କଂଗ୍ରେସରୁ, ୧୯୮୦ରେ କଂଗ୍ରେସ(ଆଇ)ରୁ ତିନିଥର ବିଧାୟକ ହୋଇଥିଲେ। ୨୦୦୦, ୨୦୦୪ ଓ ୨୦୦୯ରେ କଂଗ୍ରେସରୁ ଅନୁପ ସାଏ ବିଧାୟକ ଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହି ନିର୍ବାଚନରେ ବିଜେପିରୁ ରାଧାରାଣୀ ପଣ୍ଡା ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡିରୁ ସ୍ବର୍ଗତ କିଶୋର ମହାନ୍ତି ଏଠାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ୧୯୯୭ ମସିହାରେ ବିଧାୟକ ପ୍ରସନ୍ନ ପଣ୍ଡାଙ୍କ ବିୟୋଗ ପରେ ଏହି ଆସନରେ ବାମପନ୍ଥୀ ଦଳର ପ୍ରଭାବ କମିବାରେ ଲାଗିଥିଲା। ଫଳରେ ସେତେବେଳେ ଶାସନରେ ଥିବା କଂଗ୍ରେସ ଏହି ଗଡ଼ ପୁଣି ଥରେ ଦଖଲ କରିବାରେ ସଫଳ ହୋଇଥିଲା।

୧୯୯୮ ମସିହାରେ ବ୍ରଜରାଜନଗର ପ୍ରଥମ ଥର ପାଇଁ ଏକ ଉପନିର୍ବାଚନର ସମ୍ମୁଖୀନ ହୋଇଥିଲା। ସେହି ଉପ ନିର୍ବାଚନରେ କଂଗ୍ରେସର କେଶବ ସାହୁ ୫୨୨ ଭୋଟ ଅଧିକ ପାଇ ବିଜେଡିର ରାଧାରାଣୀ ପଣ୍ଡାଙ୍କଠାରୁ ବିଜୟୀ ହୋଇଥିଲେ। ଶ୍ରୀ ସାହୁ ୨୮, ୪୭୬ ଭୋଟ ପାଇଥିବା ବେଳେ ଶ୍ରୀମତୀ ପଣ୍ଡା ୨୭, ୯୫୪ ଭୋଟ ପାଇଥିଲେ। ଏହି ନିର୍ବାଚନରେ ସିପିଆଇର ମହମ୍ମଦ ଜାକିରୁଲ୍ଲା ୨୫,୮୦୬ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ବିଜେଡିରୁ ସ୍ବର୍ଗତ ମହାନ୍ତି ୮୦,୧୫୨ ଭୋଟ ପାଇଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୬୮,୧୫୩ ଭୋଟ ପାଇଥିଲେ। କଂଗ୍ରେସ ଆସନ ବୁଝାମଣା କରି ସିପିଆଇକୁ ଏଠାରେ ସୁଯୋଗ ଦେଇଥିବା ବେଳେ ସିପିଆଇର ରମେଶ ତ୍ରିପାଠୀ ମାତ୍ର ୯,୩୫୦ ଭୋଟ ପାଇଥିଲେ।

ims news

Leave a Reply

Your email address will not be published. Required fields are marked *