ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଙ୍ଗାଠାରେ ନିର୍ମାଣାଧୀନ ବ୍ୟାରେଜ ପରିଦର୍ଶନ କରିବା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଟ୍ରାଫିକ ପରିଚାଳନା ପାଇଁ ଅତ୍ୟାଧୁନିକ କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଥିଲେ।
ଏହି ଗସ୍ତ ଅବସରରେ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଡ଼କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ କରାଯାଇଥିବା ସମନ୍ୱିତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ବ୍ୟବସ୍ଥା ରାସ୍ତାରେ ଅପରାଧ ଓ ଦୁର୍ଘଟଣା ଆଦି ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ।
ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ୧୦ ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକଠାରୁ ବେଦବ୍ୟାସ ଏବଂ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜାଯାଇଛି। ସୁନ୍ଦରଗଡ଼ଠାରେ ଥିବା କଣ୍ଟ୍ରୋଲ ରୁମ୍ ଓ କମାଣ୍ଡ ସେଣ୍ଟର ବସି ଏସବୁ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ। ଏହି ପଦକ୍ଷେପ ପାଇଁ ସେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ।