ରାଲି ପୂର୍ବରୁ ରାଜ୍ ଠାକରେଙ୍କୁ ପୋଲିସର ଚେତାବନୀ, ସଭାସ୍ଥଳରେ କୌଣସି ସମ୍ପ୍ରଦାୟ ବିରୋଧରେ ଦେବେନି ଅପମାନଜନକ ଭାଷଣ
ଭୁବନେଶ୍ୱର: ମହାରାଷ୍ଟ୍ର ନବନିର୍ମାନ ସେନା (MNS) ମୁଖ୍ୟ ରାଜ ଠାକରେ ଆଜି ପୁଣେରେ ଏକ ରାଲି କରିବାକୁ ଯାଉଛନ୍ତି । ଠାକରେଙ୍କ ଏହି ରାଲି ପୂର୍ବରୁ ପୋଲିସ କିଛି ନିର୍ଦ୍ଦେଶନାମା ଜାରି କରିଛି । ସ୍ବରଗେଟ ପୋଲିସ୍ ଷ୍ଟେସନ୍ ଦ୍ବାରା ଜାରି କରାଯାଇଥିବା ଗାଇଡ ଲାଇନ୍ ଅନୁଯାୟୀ ରାଜ ଠାକରେଙ୍କୁ କୁହାଯାଇଛି ଯେ ଭାଷଣ ସମୟରେ ତାଙ୍କୁ ମନେ ରଖିବାକୁ ହେବ ଯେ କୌଣସି ସମ୍ପ୍ରଦାୟକୁ ଅପମାନିତ କଲାଭଳି ଭାଷଣ ଦେବେ ନାହିଁ । ଆହୁରି ମଧ୍ୟ କୁହାଯାଇଛି ଯେ, ଲୋକଙ୍କ ମଧ୍ୟରେ ଘୃଣା ଭାବ ଭରିବା ଉଚିତ୍ ନୁହେଁ । ଏଠାରେ ସୂଚନାଥାଉକି, ଯେ ଆଜାନ ଏବଂ ଲାଉଡ ସ୍ପିକରକୁ ନେଇ ଠାକରେ ଗତ ଏକ ମାସ ଧରି ଖବରରେ ରହିଆସିଛନ୍ତି । ତାଙ୍କ କର୍ମୀ ମାନେ ଅନେକ ସ୍ଥାନରେ ରମଜାନ ସମୟରେ ଲାଉଡ ସ୍ପିକରରେ ହନୁମାନ ଚାଳିସା ବଜାଉଥିଲେ ।
ତେବେ ପୋଲିସ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ‘ଏମଏନଏସ ରାଲିର ଆୟୋଜକମାନେ ଏହି ନିର୍ଦ୍ଦେଶାବଳୀ ବା ଗାଇଡଲାଇନ୍ ପାଳନ କରିବା ଉଚିତ । ଏହି ସମାବେଶର ଭାଗ ନେଇଥିବା ଅଂଶଗ୍ରହଣକାରୀ ମାନେ କୌଣସି ସମ୍ପ୍ରଦାୟକୁ ଅପମାନିତ କରୁଥିବା କିମ୍ବା ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ସୃଷ୍ଟି କରୁଥିବା ଭାଷଣ ଦେବା ଉଚିତ୍ ନୁହେଁ । ଏହି ସମାବେଶରେ ଅଂଶଗ୍ରହଣ କରୁଥିବା ନାଗରିକମାନେ ଶୃଙ୍ଖଳା ଅନୁସରଣ କରିବା ଉଚିତ୍ । ଆଉ ଆୟୋଜକମାନେ ଏପରି ନିଶ୍ଚିତ କରିବା ଉଚିତ ଯେ ଏହି ସମାବେଶରେ ଅଂଶଗ୍ରହଣ କରୁଥିବା ଲୋକମାନେ ଯେପରି ଆକ୍ରମଣାତ୍ମକ ନାରାବାଜୀ ନ ଦିଅନ୍ତି ।
ତେବେ ସଭାସ୍ଥଳର କ୍ଷମତାକୁ ଦୃଷ୍ଟିରେ ରଖି ରାଲିକୁ ଆସୁଥିବା ଲୋକଙ୍କ ସଂଖ୍ୟା ସୀମିତ ରହିବା ଉଚିତ ବୋଲି ପୋଲିସ କହିଛି । ଆହୁରି ମଧ୍ୟ, ଧ୍ବନୀ ସମ୍ବନ୍ଧୀୟ ସୁପ୍ରିମକୋର୍ଟଙ୍କ ଦ୍ବାରା ସ୍ଥିର କରାଯାଇଥିବା ନିୟମ ଗୁଡିକ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯିବା ଉଚିତ୍ । ଆୟୋଜିତ ହେବାକୁ ଥିବା ଏହି ରାଲିରେ କୌଣସି ବ୍ୟକ୍ତି ଅସ୍ତ୍ରଶସ୍ତ୍ର ନେବେ ନାହିଁ ।
ପୁଣେର ଗଣେଶ କାଲା କ୍ରିଡା ମଞ୍ଚରେ ବହୁଳ ମାତ୍ରାରେ ପୋଲିସ ମୁତୟନ କରାଯାଇଛି। ପୁଣେ ଏମଏନଏସ ସଭାପତି ସାଇନାଥ ବାବର ଏକ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଆଜିର ସମାବେଶରେ ୧୦ ରୁ ୧୫ ହଜାର ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି । ଏହି ସମୟରେ ରାଜ ଠାକରେ ତାଙ୍କ ଅଯୋଧ୍ୟା ଗସ୍ତ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ । ରାଜ ଠାକରେ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ ତାଙ୍କ ଅଯୋଧ୍ୟା ଗସ୍ତକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେ ପୁଣେରେ ଅନୁଷ୍ଠିତ ହେବାକୁ ଥିବା ରାଲିରେ ସବିଶେଷ ତଥ୍ୟ ରଖିବେ ବୋଲି କହିଥିଲେ ।