୭ ନାବାଳକ ସମେତ ୧୪ ଜଣଙ୍କୁ କାବୁ କଲା ପୁଲିସ: ବଡ଼ ଧରଣର ଡକାୟତ ଯୋଜନା ପଣ୍ଡ
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସକୁ ବଡ଼ ସଫଳତା ମିଳିଛି । ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ୧୪ ଜଣଙ୍କୁ କାବୁ କରିଛି। ଏମାନଙ୍କ ମଧ୍ୟରେ ୭ ଜଣ ନାବାଳକ ରହିଥିବା ପୁଲିସ ପ୍ରକାଶ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ୩୧ଟି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ,୨ଟି ଜୀବନ୍ତ ବୋମା, ୩ଟି ଖଣ୍ଡା, ମରଣାସ୍ତ୍ର ପାଇଁ ବ୍ୟବହୃତ ଲୁହା ରଡ଼, ୨ଟି ବାଇକକୁ ଜବତ କରିଛି ପୁଲିସ।
ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସୂଚନା ପ୍ରକାରେ ବୁଧବାର ରାତିରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ କିଛି ବ୍ୟକ୍ତି ଡକାୟତ ଯୋଜନା କରୁଥିବା ଖବର ପାଇଥିଲେ। ଏହାପରେ ଏସ୍ଆଇ କେଶବ ଷଡ଼ଙ୍ଗୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ସେଠାରୁ ୧୦ ଜଣଙ୍କୁ ଧରିଥିବା ବେଳେ ପରେ ଆଉ ୪ ଜଣଙ୍କୁ କାବୁ କରିଥିଲେ। ଭଞ୍ଜନଗର ଓ ଆଖପାଖ ଅଂଚଳ ର କିଛି ଡକାୟତି ଚୋରି ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ସହ ବହୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପୁଲିସ ପ୍ରକାଶ କରିଛି। ଘଟଣାର ତଦନ୍ତ ପରେ ଗିରଫ ହୋଇଥିବା ୭ ଜଣକୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି। ଏଥିସହ ନାବାଳକ ମାନଙ୍କୁ ଯୁଭେନାଇଲ କୋର୍ଟ ପଠାଯାଇଥିବା ଥାନା ଅଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି।