ପାରିବାରିକ କଳହର ଭୟଙ୍କର ପରିଣତି: ୩ ସନ୍ତାନଙ୍କୁ କୂଅରେ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ

ପାରିବାରିକ କଳହର ଭୟଙ୍କର ପରିଣତି: ୩ ସନ୍ତାନଙ୍କୁ କୂଅରେ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର (ଜୁଲିସ୍ମିତା): ପାରିବାରିକ କଳହରୁ ଚରମ ନିଷ୍ପତ୍ତି । ଜନ୍ମକଲା ତିନି ସନ୍ତାନଙ୍କୁ କୂଅରେ ଫୋପାଡ଼ି ମାଆର ଆତ୍ମହତ୍ୟା ଉଦ୍ୟମ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସାରା ରାଜ୍ୟରେ ଆଲୋଡ଼ନ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଲାଉଗୁଡ଼ା ଗ୍ରାମର କୋରା ଗୌଡ଼ଙ୍କ ପୁଅ ବଳିଆ ଗୌଡ଼ ଆଜକୁ ପ୍ରାୟ ୧୦ବର୍ଷ ପୂର୍ବେ କୁଶପଲ୍ଲୀ ଗ୍ରାମର ରଶ୍ମିତାଙ୍କୁ ବିବାହ କରିଥିଲେ। ବିବାହ ପରେ ବଳିଆ ଓ ରଶ୍ମିତା କୋରାଙ୍କଠାରୁ ଅଲଗା ହୋଇ ରହୁଥିଲେ। ଇତିମଧ୍ୟରେ ବଳିଆଙ୍କ ୨ଝିଅ ଏବଂ ଗୋଟିଏପୁଅ ଜନ୍ମ ହୋଇଥିଲେ। ବଳିଆ ଶ୍ରମିକ ଭାବେ ତାମିଲନାଡୁର ଚେନ୍ନାଇ ସହରରେ ରହି କାମ କରନ୍ତି। ତେବେ ବଳିଆ ଏବଂ ରଶ୍ମିତାଙ୍କ ମଧ୍ୟରେ ମୋବାଇଲରେ ଅଧିକାଂଶ ସମୟରେ ଝଗଡ଼ା ହୋଇଥାଏ |

ରବିବାର ରାତିରେ ମଧ୍ୟ କୌଣସି କାରଣକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ରଶ୍ମିତା ରାତି ପ୍ରାୟ ଗୋଟାଏରେ ନିଜ ୨ଝିଅ ଏବଂ ପୁଅକୁ ନେଇ ଘରଠାରୁ ପ୍ରାୟ ୪୦ ମିଟର ଦୂରରେ ଥିବା ଏକ କୂଅ ପାଖକୁ ଯାଇଥିଲେ । କୂଅ ପାଖରେ ପହଞ୍ଚିବା ପରେ ପ୍ରଥମେ ସାନ ଝିଅ ଆଲିଶା (୯ ମାସ), ପରେ ପୁଅ ଆଶିଷ (୫ ବର୍ଷ) ଏବଂ ବଡ଼ଝିଅ ଗୁଞ୍ଜନ (୯ ବର୍ଷ) ଙ୍କୁ କୂଅରେ ଫିଙ୍ଗିଦେବା ପରେ, ନିଜେ କୂଅକୁ ଡେଇଁ ପଡ଼ିଥିଲେ। ତେବେ ବଡ଼ଝିଅ ଗୁଞ୍ଜନ କୂଅରେ ପଡ଼ିବା ପରେ କୂଅ ମଧ୍ୟରେ ଥିବା ଏକ ପଥରକୁ ଧରି ଜୀବନ ବିକଳରେ ଚିତ୍କାର କରିଥିଲେ।

ଗୁଞ୍ଜନଙ୍କ ଚିତ୍କାର ଶୁଣି ଯଜ୍ଞ ମଣ୍ଡପରେ ଶୋଇଥିବା କେତେଜଣ ଗ୍ରାମବାସୀ କୂଅ ନିକଟରେ ପହଞ୍ଚିଥିଲେ। ସେତେବେଳେ ଗୁଞ୍ଜନ ପଥରକୁ ଧରି ପାଣି ଭିତରେ ଓହଳି ରହିଥିଲେ। ରଶ୍ମିତା ପାଣିରେପହଁରୁଥିଲେ। ଗ୍ରାମବାସୀ ବହୁ କଷ୍ଟରେ ଗୁଞ୍ଜନ ଏବଂ ରଶ୍ମିତାଙ୍କୁ ଜୀବିତ ଉଦ୍ଧାର କରିଥିଲେ। ତେବେ କୂଅରେ ପ୍ରାୟ ୨୦ ଫୁଟ ଉଚ୍ଚ ପାଣି ଥିବାରୁ ସାନଝିଅ ଆଲିଶା ଏବଂ ପୁଅ ଆଶିଷଙ୍କୁ ଉଦ୍ଧାର କରିପାରି ନ ଥିଲେ। ଗୁଞ୍ଜନ ଏବଂ ରଶ୍ମିତାଙ୍କୁ ତୁରନ୍ତ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଚିକିତ୍ସିତ ହେବା ପରେ ରଶ୍ମିତା ଓ ଗୁଞ୍ଜନ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ଅନ୍ୟପଟେ ଦୁଇ ଶିଶୁ କୂଅରେ ପଡ଼ିଥିବା ଖବର ଶେରଗଡ଼ ଅଗ୍ନିଶମ ବାହିନୀ ନିକଟରେ ସକାଳ ୮ଟାରେ ପହଞ୍ଚିବା ପରେ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା। ତେବେ ପୁଅ ଏବଂ ସାନ ଝିଅର ମୃତଦେହ ଦେଖି ରଶ୍ମିତା ପୁନର୍ବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ସେ ନିଜ ଜିଭ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି।

ପାରିବାରିକ କଳହ ପଛରେ କେଉଁ ରହସ୍ୟ ଲୁଚି ରହିଛି ଓ ରଶ୍ମିତା କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ ଏହା ଜାଣିବା ପାଇଁ ତଦନ୍ତକୁ ତ୍ବରାନ୍ବିତ କରାଯାଇଛି ବୋଲି ଶେରଗଡ଼ ଥାନାଧିକାରୀ କହିଛନ୍ତି। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ims news

Leave a Reply

Your email address will not be published. Required fields are marked *