ଏହିସବୁ ଓଡ଼ିଆ ସିନେମାରେ ସିଦ୍ଧାନ୍ତ ଓ ଆକାଶ ଏକାଠି
ଭୁବନେଶ୍ବର: ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଦୀର୍ଘ ୩୦ ବର୍ଷର କ୍ୟାରିଅର ଭିତରେ ବହୁ ସିନେମାରେ ନାୟକ, ଖଳନାୟକ ଓ ଚରିତ୍ରରେ ଅଭିନୟ କରିଛନ୍ତି। ଅପରପକ୍ଷରେ ଆକାଶ ୨୦୦୮ରେ ମୁକ୍ତିଲାଭ କରିଥିବା କରିଥିବା ଓଡ଼ିଆ ସିନେମା ‘କଳିଙ୍ଗପୁତ୍ର’ ଜରିଆରେ ନାୟକ ଭାବେ ଓଲିଉଡରେ କାମ ଆରମ୍ଭ କରିଥିଲେ। ଏହାର ପ୍ରଯୋଜକ ଥିଲେ ଦେବାନନ୍ଦ ପଣ୍ଡା ଓ ନିର୍ଦେଶକ ବରଦା ପ୍ରସନ୍ନ ତ୍ରିପାଠୀ। ରାଲି ନନ୍ଦ ଥିଲେ ନାୟିକା ଭୂମିକାରେ। ସେ ଦୀର୍ଘ ୧୪ ବର୍ଷର କ୍ୟାରିଅର ମଧ୍ୟରେ ନାୟକ ଭାବେ ବେଶ୍ କେତେକ ଓଡ଼ିଆ ଛବିରେ ନଜର ଆସିଛନ୍ତି।
ତେବେ ଆପଣ ଜାଣନ୍ତି କି ଏ ଦୁଇ ଲୋକପ୍ରିୟ ଅଭିନେତା ଏଯାବତ୍ ମାତ୍ର ତିନିଟି ସିନେମାରେ ଏକାଠି ଅଭିନୟ କରିଛନ୍ତି। ସିଦ୍ଧାନ୍ତ ଓ ଆକାଶ ସର୍ବପ୍ରଥମେ ଏକାଠି ଆସିଥିଲେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦେଶିତ ‘ଶତ୍ରୁସଂହାର’ରେ । ଏଥିରେ ଦୁଇ ଭାଇ ଭୂମିକାରେ ନଜର ଆସିଥିଲେ। ଏ ଦୁଇ ନାମୀ କଳାକାରଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଥିଲା ଯତୀନ କୁମାରଙ୍କ ନିର୍ଦେଶିତ ‘ସଙ୍ଗମ’ରେ। ଏହାପରେ ଏଦୁହେଁ ଦିଲୀପ ପଣ୍ଡାଙ୍କ ନିର୍ଦେଶିତ ‘ହରି ଓମ୍ ହରି’ରେ ଏକାଠି ନଜର ଆସିଥିଲେ। ଏଥିରେ ଉଭୟ ସିଦ୍ଧାନ୍ତ ଏବଂ ଆକାଶ ନଜର ଆସିଥିଲେ ଦୁଇ ଭାଇ ଭୂମିକାରେ। ଏହି ଫିଲ୍ମରେ ସିଦ୍ଧାନ୍ତଙ୍କ ବିପକ୍ଷରେ ଦେଖାଦେଇଥିଲେ ମେଘା ଓ ଆକାଶଙ୍କ ନାୟିକା ସାଜିଥିଲେ ରୀୟା। ଏହାଛଡ଼ା ଅନ୍ୟ କୌଣସି ଛବିରେ ସିଦ୍ଧାନ୍ତ ଏବଂ ଆକାଶ ଏକାଠି କାମ କରିନାହାନ୍ତି।